ଅନାମ ପାଟଣା ହାଟେ…. ------------------------------------------- ଅନାମ ପାଟଣା ହାଟେ କର ମନ କାରବାର ଅନେକ କାଳର କଷ୍ଟ ଅଳପକେ ହେବ ଦୂର |୦| ବସିଛି ବଣିଆ ବୁଢା ମେଲିଣ ଦୋକାନ ପୁଡା ଯାହା ତୋର ହେବ ଲୋଡା ମାଗିଲେ ଦେବ ସତ୍ୱର |୧| ଅଲେଖା ହିସାବ ତାର ଅକ୍ଷର ମଦ୍ଧ୍ୟୁଁ ବାହାର ନାହିଁ କାଗଜ ପତର ରେଫେ ନଯାଏ ପାଶୋର |୨| ଅମୁଲ୍ୟ ଭକତି ବିନା ନନେବ ସେ ଟଙ୍କା ସୁନା କୋଟିକେ ଗୋଟିଏ ଗଣା ହେବୁ କଲେ ସେ ବେପାର |୩| ବିବେକ-ବିଚାରେ ତୁଳି ଖୋଲି ବିଶ୍ୱାସର ଝୁଲି ଧର୍ମ-ଅର୍ଥ-କାମ ଭୁଲି ମୋକ୍ଷକୁ ସଉଦା କର |୪| ସେ ହାଟେ କରି ସଉଦା ତୁଟାଅ ଦାରିଦ୍ର୍ୟ ବାଧା ଦ୍ୱିଜ ବୈକୁଣ୍ଠର ଶ୍ରଦ୍ଧା ରହୁ ଜନ୍ମ ଜନ୍ମାନ୍ତର |୫| ଅନାଲୋ ମିତଣି କୁଞ୍ଜେ ….. ------------------------------------- ଅନାଲୋ ମିତଣି କୁଞ୍ଜେ ଝୁଲଣ ଦୋଳିକୁ ଅପୁର୍ବ ସୁନ୍ଦର ରାଧାମୋହନ କେଳିକୁ |୦| ଉଭା ତ୍ରିଭଙ୍ଗ ଠାଣିରେ ଚୋରା ବାଙ୍କ ଚାହାଣିରେ ନାରୀ ମନ ଦୋହଲାଏ ବାଇ ମୁରଲୀ କୁ |୧| କଟି ଦେଶେ ପୀତବାସ ମୁଖେ ଦର ହାସ ଭାଷ ନୋହିବ କେ ଶୁଣି ବଶ ତା ଚାଟୁ ବୋଲି କୁ |୨| ରାଇ କୁ ଧରି କୋଳରେ ଝୁଲନ୍ତି ଫୁଲ ଦୋଳରେ ବଇକୁଣ୍ଠ ଧ୍ୟାନ କରେ ତା ପାଦ ତଳିକୁ |୩| ଆଉ ଶ୍ୟାମ ବନ୍ଧୁ ମୁଖ…. ---------------------------------- ଆଉ ଶ୍ୟାମ ବନ୍ଧୁ ମୁଖ ଚାହାନ୍ତି ନାହିଁ ଯେବେ ତାହା ସମ ବନ୍ଧୁ ଜଣେ ପାଆନ୍ତି ମୁହିଁ |୦| ପାଇଲେ ମୁଁ ଆନ ଜଣେ ନ ଢାଳନ୍ତି ନେତ୍ର ତେଣେ ଯେତେ ଦଗା ଦେଲା ବଣେ କେତେ କହିବି ଫେଇ |୧| ଖୋଜୁଛି ମୁଁ ମନେ ମନେ କେହି ନ ଦିଶେ ତ କେଣେ ତୁଲ କଲି ପଣେ ପଣେ ସମ ନୋହିଲେ କେହି |୨| ତା ଲାବଣ୍ୟ ମୃଦୁ ହାସ ଦେଖି ନୋହିବ କେ ତୋଷ କରିଥିବ ଯେତେ ଦୋଷ ମନୁ ଯିବ ମିଳାଇ |୩| ସଖି, ତାର ଶିଖି ଚୁଳ ଦେଖି ନୋହିବ କେ ଭୋଳ ଚାରି ଅଖି ହେଲେ ମେଳ ଧୈର୍ଯ୍ୟ ଦିଏ ଟଳାଇ |୪| ଯେଣେ ଚାହୁଁଛି ରେ ସହି ନୟନରେ ନାଚେ ସେହି ତ୍ରିଭୁବନେ ପୁରି ରହି ମନ ନେଉଛି ମୋହି |୫| ଯାହା କରିବ ସେ କରୁ ତା ଆଗେ ମୋ ଦିନ ସରୁ ମଲେ ବଇକୁଣ୍ଠ ମରୁ ତା ମୂରତି ଧ୍ୟ୍ୟାୟି |୬| ଆଜ ବ୍ରଜ ଯୁବରାଜ.… ---------------------------------- ଆଜ ବ୍ରଜ ଯୁବରାଜ ସଜ କି ସୁନ୍ଦର ମା କୋଟି କାମ ଜିଣି ତେଜ ଦିଶେ ଚମତ୍କାର ମା |୦| ପାଦକୁ ଛନ୍ଦି ପାଦରେ ଶିଖି ପୁଚ୍ଛ ବାନ୍ଧି ଶିରେ ମୃଗମଦ ଚିତା ଭାଲେ ମୁରଲୀ ଅଧର ମା |୧| ପିନ୍ଧିଣ ପୀତବସନ ଗଳାରେ ମାଳ ସୁମନ ସାଜିଛି ଅତି ଜତନ ସେ ନଟ ନାଗର ମା |୨| ମୃଦୁ ହାସେ ହସି ଦେଇ ତେରଛେ ଦିଏ ଅନାଇ ନାରୀ ହୃଦ ଦୋହଲାଇ ଦେବ ତା ଚାତର ମା |୩| ଗାଇ ରାଧା ରାଧା ନାମ ଉଛୁଳାଏ ବ୍ରଜ ଧାମ ନୂପୁର ନାଦରେ ଶ୍ୟାମ କିଣଇ ଅନ୍ତର ମା |୪| ଦେଖି ତା ତ୍ରିଭଙ୍ଗ ଠାଣି ବିକିଲି ନିଜକୁ ପୁଣି ବଇକୁଣ୍ଠ ଗୀତେ ଭଣି ଯା ହେଉ ଏଥର ମା |୫| ଆସ ହେ ସୁନ୍ଦର ଆଜି… ----------------------------- ଆସ ହେ ସୁନ୍ଦର ଆଜି ପୁଜିବି ଯତନେ ତୁମରି ଚରଣେ ମୋ ଚିତ୍ତ କୁସୁମ ସାଜି |୦| ତୁମ ପାଇଁ ମନ ମନ୍ଦିର ଦ୍ୱାର ମୁକୁଳା ରଖିଛି ହେ ମନଚୋର, ସଜକଞ୍ଜପଦ ଥୋଇ ମୋ ଅନ୍ତର କଳଙ୍କ ଦିଅ ମାଜି |୧| ବହୁବେଳୁ ଚାହିଁ ତୁମ ସରଣୀ ନୟନୁ ନୀର ଝରି ଶୁଖିଲଣି ସତେ କି ହେ ପ୍ରିୟ, ସୁସ୍ୱରେ ଅମୀୟ ବଂଶୀ ଉଠିବ ବାଜି |୨| ଉଜାଗରେ ବସି ଜାଳେ ଜାଗର ନିରାଶ ପରାଣେ ଆଶା ସଞ୍ଚାର ଗୋପନେ ସପନେ ଆସ ପ୍ରିୟ ମୋର ହୃଦ ଅନ୍ଧାର ଭାଜି |୩| ଏ ଜୀବନଯାକ ତୁମ ଭାବନା ଭାବି ବିତିଯାଉ ବରଜସୁନା ବଇକୁଣ୍ଠ ଘଟ ହେଉ ହେ ଚୁନା ଚାରୁ ଚରଣ ହେଜି |୪| ଆସ ପ୍ରେମ ମୟ ଭଗବାନ…. -------------------------------------- ଆସ ପ୍ରେମ ମୟ ଭଗବାନ କର ତବ ପ୍ରେମଶିଷ ଦାନ |୦| ଆଜି ଶୁଭ ଦିନେ, ମଧୁର ଲଗନେ, ବିରାଜ ହେ ମୋର ହୃଦ ସିଂହାସନେ, ଜଳାଇ ଆଲୋକ ବର୍ତ୍ତିକା ମୋ ପ୍ରାଣେ ଭସ୍ମ କର ମାନ ଅଭିମାନ |୧| ଦିଅ ହେ ବଢାଇ ଶ୍ରୀଚରଣ ଦୁଇ, ଦେବି ଧୋଇ ଭରା ନେତ୍ର ନୀରେ ମୁହିଁ, ପୂଜା ଉପଚାର ଦିଅହେ ବତାଇ, ପୁଜିବି ତେଜି ମୁଁ ସବୁ କାମ |୨| ନ ଜାଣେ ଭକତି ନାହିଁ ତ ଶକତି, ମାଗୁନାହିଁ ପ୍ରିୟ ଅମର ମୁକତି, କରୁଣ କାତରେ କରିବି ଆରତୀ ଜୀର୍ଣ୍ଣ ବୀଣା ତାରେ ଦେଇ ତାନ |୩| ନାଚି ମୋ ଅନ୍ତରେ ନଚାଅ ଭକ୍ତରେ, ପୂତ ହେଉ ଧରା ସତ୍ୟ ସୁମନ୍ତ୍ର ରେ ସତତ ବଇକୁଣ୍ଠ ସୁମରି ଚିତ୍ତରେ ତୁଟାଇବ ଯେତେ ମନ ମ୍ଳାନ |୪| ଆହା କେଡେ ଶୋଭା ରେ… ---------------------------------- ଆହା କେଡେ ଶୋଭାରେ ଥିର ନେତ୍ର ରେ ଥରେ ସହି ଅନାଗୋ ବହନ ସାଜି ନବୀନ ସାଜ ବରଜ ଯୁବରାଜ କଦମ୍ବ ମୁଳେ ଆଜ ବିଜେ ମନ ମୋହନ, (ପଡି) ଚାହିଁ ତା ଚାରୁ ପଦ ଚିତ୍ତେ ଜାଗେ ଆନନ୍ଦ ଦର୍ଶନେ ଦୂରେ ଯାଏ ଦୁସ୍ତର ଭବ ଫନ୍ଦ ପ୍ରତେ ହୁଏ ପାଇବା ପରି କୋଟି ସମ୍ପଦ ଦୂର ହୁଏ ବିପଦ କାମ୍ୟ କାମନା ମାନ |୦| (୧) ଜିଣି ଦଳିତାଞ୍ଜନ, କମନୀୟ ବରନ, ମୋହୁଛି ଜନ ନୟନ, ଭାଲ ପଟେ ଚନ୍ଦନ, ଦିଶଇ କି ଯତନ ନୀଳ ଗଗନେ ଯେହ୍ନେ ଉଦେ ଶରଦ ଜହ୍ନ (ପଡି) ଶିଖିପୁଚ୍ଛ ଚୁଳିଆ ନବଘନ କାଳିଆ ସେ ପୀତ ଦୁକୁଳିଆ ପ୍ରୀତି ସୁନାଥାଳିଆ ରୁଞ୍ଜ ଗୁଞ୍ଜମାଳିଆ ମକର କୁଣ୍ଡଳିଆ ଗୋପପୁଅ ମେଳିଆ ଶ୍ରୀବୃନ୍ଦାବନ ଧନ (୨) ଠିଆ ହେବାର ଠାଣି ଠଉରାରେ ମିତଣୀ, ଠିକଣା କରି ତୋ ଧ୍ୟାନ ଆଉ ଏହି ମୂରତି ନାହିଁ ନଥିବ କ୍ଷିତି ସତୀ ଛାତି କରତି ଦେବ ଏ ରୂପ ଜାଣ (ପଡି) ମୁରଲୀ ଧରି କରେ ବଜାନ୍ତି ରାଧା ସ୍ୱରେ ପଡେ ଯା କାନେ ଥରେ ମନୁ ଗୁମାନ ସାରେ ତା ପୀରତି ଆଶାରେ ନିଶି ଦିବସ ଝୁରେ ଲାଜେ ନକହି କାରେ କରେ ସେ ସୁମରଣ (୩) ଏ ସୁନ୍ଦର ସୁଠାମ, କିଏ କଲା ନିର୍ମାଣ ନାହିଁ ତ ତୁଳନା ଆନ କେତେ କାଳେ ବିରଞ୍ଚି, ରଚିଛି ପାଞ୍ଚି ପାଞ୍ଚି ସଂସାର ସାର ବାଛି ସଞ୍ଚି ଅଛି ତ ପୁଣ (ପଡି)ଧରି ଏହି ମୂରତି ଧନ୍ୟ ହେଲା ଧରତି ଦେଖି ନବ ଯୁବତୀ ନୋହିବ କେ ଆରତି ବଇକୁଣ୍ଠ ବଦତି ତା ପାଦେ ଦେଲେ ମତି କାଳ କାଳକୁ ଭୀତି ନଥିବ ଟି ଗୋ ଜାଣ | ୧୧୪. ଚଉବାହା ବାରେ ହେବ ଚଉବାହା ବାରେ ହେବ--ବାରେ ହୋଇବ ସାହା ହେ ଅନ୍ତେ ପଦପ୍ରାନ୍ତେ ଦେବଟି ରାହା ହେ |୦| ଏ ଭବ ସଂସାର ମହା ଅନ୍ଧକାର କେ କାହାର ସ୍ୱାମୀ କେ କାର ଜାୟା, ବୃଥା କାରାବାର କେ ନୁହେଁ କାହାର ମମତାରେ ମାତି ହୁଅନ୍ତି ବାୟା | ଦୁଇ ଦିନିଆ ସର୍ବେ କୁଣିଆଁ ଏ ରୋଗକୁ ଏକା ତୁମ୍ଭେ ଗୁଣିଆ ହେ |୧| ଏ ତିନି ଭୁବନେ ଆନ ତୁମ ବିନେ ନାହିଁ କେ ମୋ ଦୁଃଖେ କହିବ ଆହା, ନ ଧରିବ ଦୋଷ ଆହେ ହୃଷିକେଶ ଶେଷବେଳେ ପାଶେ ହୋଇବ ଠିଆ | ନଟକୁଟିଆ ପାରିଘାଟିଆ ପାରି କରିଦେବ ଭାବି ବେଠିଆ ହେ |୨| ପଢ଼ିନାହିଁ ବେଦ ପୁରାଣ ସମ୍ବାଦ ଅତି ବୁଦ୍ଧିହୀନ ହୀନିମନିଆ, କେବଳ ଶରଣ ଶରଣରକ୍ଷଣ ରଖିବ କରିଣ ଚକ୍ରର ଛାୟା | ହେ ଲକ୍ଷ୍ମୀନାହା, ନ କରି ମାୟା, ଦୀନ ବଇକୁଣ୍ଠେ କରିବ ଦୟା ହେ |୩| --୦୦୦୦-- ୧୧୫. ଚକାଆଖିଆ ସତେ ମୋତେ ଚାହିଁବ ଚକାଆଖିଆ ସତେ ମୋତେ ଚାହିଁବ ଚାରୁଚରଣ ମୋର ମାଥେ ଛୁଇଁବ ହେ ଛୁଇଁବ |୦| ଚକ୍ରଆଢୁଆଳେ ରଖ କଳିକବଳୁ ଚିତ୍ତ ଅନ୍ତର ନ ହେଉ ପଦକମଳୁ | ଚାକର କରି ରଖ, ଚିକ୍କଣ କଳାମୁଖ, ଚଞ୍ଚଳ ଅନୁମତି ମିଳୁ ନୀଳଦ୍ରୀପତି, ଚିରକାଳକୁ ଧ୍ୟାନ ଆନ ନୋହିବ |୧| ଛନ୍ଦେ ଛନ୍ଦନ୍ତି ଚଣ୍ଡାଳ ଛଡ଼ ଅଇରି ଛିଣ୍ଡାଇଦିଅ ତାହାଙ୍କ ବନ୍ଧନ ଡୋରି | ଛନକାମନ ହୋଇ ଛାଡ଼େ ରଡ଼ି ଗୋସାଇଁ ଛଳନା ମହାବାହୁ, ବେଳ ନାହିଁ ତ ଆଉ, ଛାର ଶରୀର କେତେ କଷ୍ଟ ସହିବ |୨| ବ୍ଡ଼ ବ୍ଡ଼ ପାତକୀଙ୍କୁ ତାରିବା ଛଳେ ବ୍ଡ଼ ଠାକୁର ବୋଲାଅ ବଡ଼ଦେଉଳେ, ପଚାରେ ବଇକୁଣ୍ଠ ପତିତରେ ମୁଁ ଶ୍ରେଷ୍ଠ ମୋ ପାଇଁ କେଉଁ ବାଟ ରଖିଛ ନନ୍ଦ ଚାଟ ସାହା ହେବ କି ନାହିଁ ପଦେ କହିବ ହେ କହିବ |୩| --୦୦୦୦-- ୧୧୬. ଚକାଆଖି ତୁମେ ଏକା ମୋର ସାକ୍ଷୀ ହେ ଚକାଆଖି – ତୁମେ ଏକା ମୋର ସାକ୍ଷୀ ହେ ଯାହା ଭଲ ମନ୍ଦ ପାପପୁଣ୍ୟ ଦ୍ୱନ୍ଦ୍ୱ ଜଣାଉଛି ନିତି ଡାକି ହେ |୦| କରାଉଛ ଯାହା କରୁଛି ମୁଁ ତାହା ମୋ କର୍ମେ ଯା’ ଅଛ ଲେଖି, ନାହିଁ ମୋ ହିସାବ ଆହେ ବାସୁଦେବ କିଛି ମନେ ନାହିଁ ରଖି ହେ |୧| ଯିଏ ଯାହା କହୁ ଆହେ ମହାବାହୁ ତହିଁରେ ନୁହେଁ ମୁଁ ଦୁଃଖୀ, ଅନ୍ତର୍ଯ୍ୟାମୀ ନାଥ ଜାଣ ତ ସମସ୍ତ ତୁମ୍ଭଙ୍କୁ କେ ଦେବ ଫାଙ୍କି ହେ |୨| ମୁଁ ଯେବେ ଅଧମ ପତିତରୁ ହୀନ ତୁମ୍ଭେ ମୋ ପ୍ରଭୁ ନୁହଁ କି, ପତିତପାବନ- ବାନାକୁ ଉଡାଇ ବ୍ଡ଼ ବୋଲାଅ କାହିଁକି ହେ |୩| ଆନ କେ ମୋ ସାହା ନାହିଁ ଚଉବାହା ଶେଷକୁ ନ ଦେବ ଠକି ହେ ବଇକୁଣ୍ଠ ଭଣି ତୋ ତ୍ରିଭଙ୍ଗଠାଣି ଚିତ୍ର ନେତ୍ରେ ଥାଉ ଲାଖି ହେ |୪| --୦୦୦୦-- ୧୧୭. ଚକାବଇଠିକି ଅନାରେ ସୁମନା ଚକାବଇଠିକି ଅନାରେ ସୁମନା, ଚକାବଇଠିକି ଅନା ଚକଚକ ଜ୍ୟୋତି ଝଲସି ଉଠୁଛି ଜାଗ୍ରତ କର ଚେତନା |୦| ଚାରି ଅର୍ଦ୍ଧ ମାତ୍ରା ପରେ ଯାର ଯାତ୍ରା ତହିଁ ଲଗାଅ ଭାବନା ଚରାଚର ଯେତେ ଚଳନ୍ତି ସମସ୍ତେ ଜାତ ସେହିଠାରୁ ସିନା |୧| ଚତୁର୍ଦ୍ଧା ରୁପରେ ଚାରି ଚଉକରେ ପତିତ-ପାବନ ବାନା ଚରଣ ତଳରେ ବହିଯାଉଅଛି ବଜ୍ରକିଳା ଶିଶୁମୁନା |୨| ଚିହ୍ନି ଛ୍ଡ଼ବେଦ ମନ୍ତ୍ରଯନ୍ତ୍ର ଭେଦ କର ତୁ ହରି ଭଜନା ଚନ୍ଦ୍ରସୁର୍ଯ୍ୟ ବେନି ଏକତ୍ର କରିଲେ ଭେଟପାଇ ନନ୍ଦକହ୍ନା |୩| ଚତୁର ପଣରେ ଭୁଲାଇ ଦେଇଛି ଧନ୍ୟ ସେ ମନମୋହନା ଚାତକ ବଇଆ ହୋଇଛି ବାଇଆ ନିତି ଚିନ୍ତା କରି, ତା’ ନାଁ |୪| --୦୦୦୦-- ୧୧୮. ଚକାଡୋଳା ! ଆଉ ହେଳା ନ କର ଚକାଡୋଳା ! ଆଉ ହେଳା, ଆଉ ହେଳା ନ କର ହେଳା କଲେ ଭେଳା ବୁଡ଼ିବ ମୋର |୦| କେତେ କାଳ ଚାହିଁ ରହିବି ଗୋସାଇଁ ଏହି ପ୍ରତିଶ୍ରୁତି ମିଳୁ ଏଥର, ନ ପାଇ ଭରସା ହୋଇଛି ନିଆଶା କାଳେ ଶେଷବେଳ ହେବ ଆଖର | ନୁହଁ ପଥର, କର ବିଚାର ସେ ପାଇଁ ଜଣାଏ ମୁଁ ବାରମ୍ବାର ସପନରେ ପଦେ ଦିଅ ଉତ୍ତର |୧| ସଂସାରର ରୀତି- ଗତି ଚିତ୍ତେ ଚିନ୍ତି ନିତି ମନେ ମନେ ହୁଏ କାତର, ନାହିଁ ଭୋଗ ଇଚ୍ଛା ପୁରିଲାଣି ବାଞ୍ଛା- ସଚ୍ଚାରେ ଜଣେ ମୁଁ ହୀନ ପାମର | ଉଦ୍ଧରି ଧର, ହେ ଚକ୍ରଧର, ଚରଣରେ ରଖ କରି ଚାକର- ଏତିକି ବିନତି କରେ ମାତର |୨| ତବ ନାମ ଗୁଣ ଗାଇ ଅନୁକ୍ଷଣ ପାପତାପ ନ ଲାଗୁ ଏ ଅଙ୍ଗର, ଜୀବ ଯିବା ବେଳେ ଦିଶିଗଲେ ଡ଼ୋଳେ କାଳକୁ ନ ଥିବ ମୋର ଖାତର | ଶ୍ୟାମସୁନ୍ଦର, କରୁଣା କର ନେତ୍ରେ ନାଚୁଥିବ ଚିତ୍ର ତୁମ୍ଭର, ନେବ ବୈକୁଣ୍ଠର କୋଟି ଜୁହାର |୩| --୦୦୦୦-- ୧୧୯. ଚକାଡୋଳା ବସିଛ କିଆଁ ହୋଇଣ ଥକ୍କା ଚକାଡୋଳା, ବସିଛ କିଆଁ ହୋଇଣ ଥକ୍କା ଦେଖି ମୋ ଦୁଃଖ ତୁମେ ବନିଗଲକି ବୋକା |୦| ଜନମ କାଳରେ ମୋ କରମ ପତରେ ଯେଉଁ ଗାର ମାରିଅଛ ନିଜ ହାତରେ ଜାଣେ ମୁଁ ମୋ ଜୀବନ ସେ ଦିନୁ ହୀନିମାନ କହିଲେ ହେବ କିସ ସେ ମୋ କରମ ଦୋଷ ଆନ କରି ହେବ କି ଆଉ ସେ ବେଳ ଲେଖା |୧| ରଙ୍କ ଡ଼ାକ ବାଙ୍କେ ଯାଉ ନ ପଶୁ କାନେ ଶଙ୍କା ଚିତ୍ତେ ତଥାପି ତ ଜଣାଣ ଭଣେ ଦକା ହେବାରୁ ମନେ ଦେଖା ଚାହେଁ ମୁଁ କ୍ଷଣେ ରକ୍ଷା ନ କଲେ ନାହିଁ ଶଙ୍ଖାରି କହେ ମୁହିଁ ଅନ୍ତିମରେ ନୋହିବ ପ୍ରଭୁ ମୋ ପ୍ରତି ଖପା |୨| ଦେଖା ଦିଅ ବା ନ ଦିଅ ସେ ତୁମ ଦୟା ରଖାଅ ମନ ଶ୍ରୀପଦେ ତୁଟାଇ ମାୟା ଚଖାଇ ନାମାମୃତ ଲଗାଇ ରୂପେ ଚିତ୍ତ ରଫା ବିଚାର କରି ଦଫାରୁ ଦେବ ତାରି, ଏଥିପାଇଁ ବୈକୁଣ୍ଠ ତୁମ ଚରଣେ ବିକା |୩| --୦୦୦୦-- ୧୨୦. ଚକାନୟନ ହେ କୃପାକଟାକ୍ଷରେ ତକା ଚକାନୟନ ହେ ! କୃପାକଟାକ୍ଷରେ ତକା ପତିତତାରଣ ନାମ ଭଣାଇଣ ଉଡ଼ାଉଅଛ ପତାକା |୦| ପଣ ପଣ ପାପୀ ତାରିବା ପାଇଁକି ତୁମେ ପ୍ରଭୁପଣେ ପକ୍କା ଅଧମ ଜଗତେ ରହିଛନ୍ତି ଯେତେ ପହିଲେ ମୋ ନାମ ଲେଖା |୧| ଶୁଣିତୋ ମହିମା ନିଜକୁ ମଣିମା ଗଣେ ପାତକୀରେ ଏକା ବିଚାର ମୋ ପାଇଁ କରି ରମାସାଇଁ ତୋ ବାକ୍ୟ ତୁ କର ରକ୍ଷା |୨| ପତିତ ବୋଲିଣ ସମ୍ଭାଳି ଶରଣ ଦେଖାଅ ଆଲୋକ ରେଖା ଏକା ଚଉବାହା, ଯେବେ ହେବ ସାହା ନ ବାଧିବ କାଳ ଧକ୍କା |୩| ହେ ମଙ୍ଗଳମୟ କାହାକୁ ମୋ ଭୟ- ଭୀତି ନାହିଁ-ନାହିଁ ଶଙ୍କା ଜାଣେ ବଇକୁଣ୍ଠ ତୁମେ ଯାର ଇଷ୍ଟ (ତାର) ନ ଥିବ ଶମନଦକା |୪| --୦୦୦୦-- ୧୨୧. ଚକ୍ରପାଣି ହେ ! କହେ ଯୋଡ଼ି ମୁଁ ପାଣି ଚକ୍ରପାଣି ହେ ! କହେ ଯୋଡ଼ି ମୁଁ ପାଣି ଚିତ୍ତରୁ ଅନ୍ତର ନୋହିବ ମୋହର ଚିରକାଳ ପାଇଁ ଏହି ମାଗୁଣି |୦| ଶ୍ରୀଚରଣ ତଳେ ବଳେବଳେ ହେଳେ ମୋ ମନକୁ ବାନ୍ଧି ରଖିବ, ଟାଣି, ଚପଳତା ତେଜି ତବ ପ୍ରେମେ ମଜ୍ଜି ଚିନ୍ତୁଥିବି ନିତି ତ୍ରିଭଙ୍ଗ ଠାଣି |୧| ଦେବ ଯେବେ ଦୁଃଖ ହେ ପଙ୍କଜ ମୁଖ ସହିବା ଶକତି ଦେବଟି ପୁଣି, ସବୁ ତୁମ୍ଭ ଦାନ ବୋଲିଣ ଗ୍ରହଣ କରିବି ମନରେ ଆନ ନ ଆଣି |୨| କିଏ ବା ଧରମ କିଏ ଅଧରମ ମରମ କିଛି ମୁଁ ନାହିଁ ତ ଜାଣି, ଘଟ ମଧ୍ୟେ ରହି ଦିଅ ଯା ବତାଇ ସେହି ମାରଗରେ ହୁଏ ଅଗ୍ରଣୀ |୩| ଆଉ କେହି ଆନେ ଅଛି ବୋଲି ଜଣେ ଖିଆଲରେ ହେଲେ ଥରେ ଭାବିନି, ବଇକୁଣ୍ଠ ଗତି- ମୁକତି ଶ୍ରୀପତି ମୋ ଶେଷ ସମ୍ପତ୍ତି ମୁରଲୀପାଣି |୪| --୦୦୦୦-- ୧୨୨. ଚଗଲା, ମୁଁ ଗେହ୍ଲାଇ କହୁଛି ରେ ଚଗଲା, ମୁଁ ଗେହ୍ଲାଇ କହୁଛି ରେ ଛା୍ଡ଼ ଛଳ ନଟ କୂଟ ଭରମି ମରନା ଅନ୍ଧାର ସଂସାରେ ଖୋଜ ଆଲୋକର ବାଟ ||ପଦ|| ଏ ଧନ ରତନ ଯୁବତୀ ଯୌବନ ମୋହରେ ନୁହଁ ଆକଟ, ନିୟତି ନିର୍ଦ୍ଦେଶେ ଚାଲିଯିବେ ଶେଷେ ଚାହିଁଥିବୁ ମଟମଟ |୧| ଦାର ପରିବାର ସର୍ବେ ସ୍ୱାର୍ଥପର ନିଃସ୍ୱାର୍ଥେ ନୋହିବେ ଭେଟ, ତୋହ ପଛେ ପଛେ କାନ୍ଦି ମିଛେ ମିଛେ ବାଣ୍ଟିବେ କବାଟ ଖଟ |୨| ଲୋକ ଦେଖାଣିଆ ଧରମ କରମ ଅଳପକେ ହେବ ନଷ୍ଟ, ଅନ୍ନ-ଭୂମିଦାନ କରିଯାଅ ପୁଣ କଳିଯୁଗକୁ ଏ ଶ୍ରେଷ୍ଠ |୩| ଦରିଦ୍ରଙ୍କ ସେବା କର ଆରେ ବାବା ହେଉ ପଛେ ଯେତେ କଷ୍ଟ, ନର ନାରାୟଣ ଆଶିଷ ଲଭିଣ ତରିଯିବ ବଇକୁଣ୍ଠ |୪| --୦୦୦୦-- ୧୨୩. ଚପଳା ଚମକାଇ ଚଲା ବଉଦ ବାହି ଚପଳା ଚମକାଇ ଚଲା ବଉଦ ବାହି ନୂଆ ନୀରଦ ଧାଇଁ ଅଇଲା, ସଜନୀରେ... ନୂଆ... ନୀରଦ... କରି ଚହଟ ରଡ଼ି ଚଡ଼କ ଘଡ଼ଘଡ଼ି ଚତୁରୀ ଚିତ୍ତ ଚହଲାଇଲା, ସଜନୀରେ |୦| ଘୋର ଘନ ଅନ୍ଧାର ଘୋଟିଣ ଗଗନର ଘୁଉ ଘୁ’ ସ୍ୱନେ ଭୟ, ହୋଇଲା, ସଜନୀ ବେଙ୍ଗୁଲୀରାଣୀ ମିଳି ଦେଲେ ତ ହୁଳହୁଳି ଡ଼ାହୁକ ମକ ମକ ଗାଇଲା, ସଜନୀରେ |୧| ଚମ୍ପାବରନୀ ଗୋରୀ ମରମେ ହୋଇ ଘାରି ତା ସାଥୀ ମିଳନକୁ ଚାହିଁଲା, ସଜନୀ ଥିଲେ ଯେ ବିରହିଣୀ ଚାହିଁ ପ୍ରିୟସରଣୀ ମାନସେ ଶିବସେବା ଧ୍ୟାୟିଲା, ସଜନୀରେ |୨| ମୋ ଚିତ୍ତ ଛନଛନ ଏ କାଳେ ଶ୍ୟାମଘନ ମୋତେ ତେଜି ମଥୁରା ରହିଲା, ସଜନୀ କହଇ ବଇକୁଣ୍ଠ କପଟ କଲା କୃଷ୍ଣ କାନ୍ଦୁ କାନ୍ଦୁ ଯାମିନୀ ପାହିଲା, ସଜନୀରେ |୩| --୦୦୦୦-- ୧୨୪. ଚମକ ବିଜୁଳି ପରି ଗୋ ବଉଳ ଚମକ ବିଜୁଳି ପରି ଗୋ ବଉଳ, ଚମକ ବିଜୁଳି ପରି ଚହଟ ଚିକ୍କଣ ଯିବଟି ସରି ଗୋ, ବଉଳବେଣୀ ଚାହିଁ ହସୁ କେତେ କିରିକିରି, ବଉଳ ଗୋ |୦| ଯତନ ଯୌବନ ଧନ ଗୋ, ଜୀଇ ଥାଉଁ ଥାଉଁ ସରିବ ଜାଣ ଜୀବନଟା ଯାକ ଅକାରଣ, ବଉଳ ଗୋ |୧| ଫିରି ଫିରି ଝଡ଼ି ସମ ଗୋ, ଫସର ଫାଟିବ ପୁରୁଣା ପଣ ଫାନ୍ଦଫିକରେ ନ ବଳା ମନ, ବଉଳ ଗୋ |୨| ଗେଲ ଗେଲ ମଣୁ ତୁହି ଗୋ, ଗୋବିନ୍ଦ ଗଲେ ତୁ ଲୋଟିବୁ ମହୀ ଜ୍ଞାନେ ଗୁରୁଙ୍କୁ ଚିହ୍ନିଲୁ ନାହିଁ, ବଉଳ ଗୋ |୩| ରଙ୍ଗପସରାରେ ରସି ଗୋ, ରଙ୍ଗା ଚରଣରେ ହୋଇଲୁ ଦୋଷୀ ରବିସୁତ ରୋଷେ ହେବୁ ପେଷି, ବଉଳ ଗୋ |୪| ଲକ୍ଷ୍ୟଭ୍ରଷ୍ଟ ହୋଇଗଲୁ ଗୋ, ଲବ ନିମିଷେ ଖିଆଲ ନ କଲୁ ଲାଭ ହାନି ଲେଖା ନ ବୁଝିଲୁ, ବଉଳ ଗୋ |୫| ବଇକୁଣ୍ଠ ବୋଲ ମାନି ଗୋ, ବସ ବେଗେ ବଡ଼ ଦାଣ୍ଡକୁ ଚିହ୍ନି ବଳେ ବାସୁଦେବ ନେବେ ଟାଣି, ବଉଳ ଗୋ |୬| --୦୦୦୦-- ୧୨୫. ଚମ୍ପକବରନୀ ଧନୀ କରେ ଭାବନା ଚମ୍ପକ ବରନୀ ଧନୀ କରେ ଭାବନା ଗୋ ଧନୀ କରେ ଭାବନା କାହିଁ ସହୀ ରହିଲେ ମୋ କାଳିଆସୁନା ଗୋ |୦| କ୍ଷଣେ ନ ଦେଖିଲେ ମୁହିଁ ତାହାଙ୍କୁ ସହୀ ମୁହୂର୍ତ୍ତକ କୋଟି ଯୁଗ ସମ ମଣଇ ଗୋ ରହିବି ମୁଁ କିପରି କହରେ ସହଚରୀ ତାକଥା ଝୁରି ଝୁରି ନିଶ୍ଚୟ ଯିବି ମରି ସରିଯିବ ରାଧା ସୁଖ ସେ ଶ୍ୟାମ ବିନା, ମୋ କାଳିଆ... |୧| ମୋ ଠାରୁ ଅଧିକା ହେଲା କେଉଁ ନାଗରୀ ଭାବବଶେ ବଶ ହେଲେ ତା ପ୍ରେମେ ହରି କେ କଲା କି ମନ୍ତର ଏତେ ତାର ଚାତର ସେ ଲମ୍ପଟନାଗର କଲେ ମୋତେ ଅନ୍ତର ଗେଲ ଗଉରବ ସବୁ କରିଲେ ଚୂନା, ମୋ କାଳିଆ... |୨| କୃଷ୍ଣନାମ ଗୁଣେ ଅନୁକ୍ଷଣେ ମଜ୍ଜିଲି ଏହା ସେ କରିବ ସତେ ଭାବି ନ ଥିଲି ମଥୁରା ଗଲେ କହି ଚାରୋଟି ଦିନ ରହି ଫେରି ଆସିବା ପାଇଁ ଏଯାଏ ଦେଖା ନାହିଁ ସେ କାଳୁଁ ଝୁରେ କଦମ୍ବ, ଝୁରେ ଯମୁନା, ମୋ କାଳିଆ... |୩| ନ ଦେବ ଯେବେ କେ ମୋତେ ଆଣି କାହ୍ନୁକୁ କାଳିନ୍ଦୀ ଗଣ୍ଡେ ଝାସିବି ଏହି ତନୁକୁ କାଳୀନାଗୁଣୀ ଖାଉ ସବୁ ଜଞ୍ଜାଳ ଯାଉ ତା ନାମେ ନିନ୍ଦା ହେଉ କାଳକୁ କଥା ରହୁ ଶ୍ୟାମ ଲାଗି ରାଈ ମଲା, ଉଡୁ ଏ ବାନା, ମୋ କାଳିଆ... |୪| --୦୦୦୦-- ୧୨୬. ଚମ୍ପକବରନୀ ରାଈ ଚମ୍ପକ ବରନୀ ରାଈ, ଚମ୍ପାହାର ଗଳେ ଦେବି ଲମ୍ବାଇ ଦେବି ଲମ୍ବାଇ ଗୋ, ଘେନ ବାରେ ମୋ ବିନୟୀ |୦| ରାଧେ ବୃଷଭାନୁ ଜେମା ମୋର ଅପରାଧ କରିଣ କ୍ଷମା କରିଣ କ୍ଷମା ଗୋ, ଶିଖାଇବ ପ୍ରେମ ସୀମା |୧| ଦେଇ ସେବା ଅଧିକାର, ଚରଣେ ରଖାଅ କରି ଚାକର କରି ଚାକର ଗୋ, ଚିତ୍ତୁ ଚିନ୍ତା ହେବ ଦୂର |୨| ଶ୍ରୀପତିଙ୍କ ଆଗେ ଯାଇ, ମୋହ ପାଇଁ ପଦେ କୁହ ବୁଝାଇ କୁହ ବୁଝାଇ ଗୋ, ଇତରେ ଗଣିବେ ନାହିଁ |୩| ଫୁଲସଜ୍ଜା ସେବାଦିଅ, ଫୁଲ ଗୁନ୍ଥୁ ଥିବି ମୁଁ ଅହରହ ମୁଁ ଅହରହ ଗୋ, ଛନ୍ଦା ପାଦେ ରଖି ଲୟ |୪| ଚାରି ଚରଣକୁ ଚାହିଁ ଚେତା ଚଇତନ ଯାଉ ମିଳାଇ ଯାଉ ମିଳାଇ ଗୋ, ବଇକୁଣ୍ଠ ପାଉ ତ୍ରାହି |୫| --୦୦୦୦-- ୧୨୭. ଚମ୍ପାବରନା ତୁ ରେ, ମାନ କରନା ଶ୍ୟାମରେ ଚମ୍ପାବରନା ତୁ ରେ, ମାନ କରନା ଶ୍ୟାମରେ |୦| ମାନସୁ ଆନ ରୀତି ମରଜି ପ୍ରିୟବତୀ, ଅଟଳ ରଖି ମତି ତେଜି ଲଜ୍ୟା ଭୀତି ରଜନୀ ଦିବସରେ ମାତ ତା ପ୍ରେମରେ |୧| ରାଧେ ଜାଣିଛି ମୁହିଁ ମନୁ ଭୁଲି ନୁହଇ, ବୃଥା କଥାରେ ତୁହି ରୁଷନାରେ ସହୀ ତା ଦୋଷ ଧରିବାକୁ ନୋହିବୁ କ୍ଷମରେ |୨| ଶ୍ୟାମ ତୋ ଗୁଣଗୁଣି ନେତ୍ରୁ ବୁହାନ୍ତି ପାଣି, ଏହା ତୁ ଜାଣିଜାଣି ଥିବୁରେ ମିତଣୀ ସୁନ୍ଦର ନ ହେବଟି ଏ ତୋ ଗୁମାନରେ |୩| ବଇକୁଣ୍ଠ କହଇ ଇଷ୍ଟ ସବୁରି ସେହି, ଅନ୍ତର ଦୃଷ୍ଟି ଫେଇ ବାରେ ଦିଅ ଚାହିଁ କୁଞ୍ଜଦୁଆରେ ଛିଡା ସେ ନବଘନରେ |୪| --୦୦୦୦-- ୧୨୮. ଚରଣତଳେ ମୋ ଜଣାଣ ଗୀତିକା ଚରଣ ତଳେ ମୋ ଜଣାଣ ଗୀତିକା ଅଜାଡ଼ିଦେବି ପ୍ରଭୁ ହେ ଘେନ ବା ନ ଘେନ ମୋର ନିବେଦନ ଆଗରୁ ଦେଇଛି ସବୁ ହେ |୦| ପାସୋରିଛି ମନେ ଥିଲା ଯେତେ ଆଶା ସମ୍ପଦେ ବିପଦେ ତୁହି ମୋ ଭରସା ମାୟା ଝଡ଼ଝଞ୍ଜା ଦେଇ ନାନା ଦଶା କରି ଦେଇଅଛି କାବୁ ହେ |୧| ବୁଡ଼ିଯିବି ଯେବେ ଝଡ଼ିବଢ଼ିଘାତେ ରଡ଼ିକେ ଛାଡ଼ିବ ହରଘଡ଼ି ତୋତେ ଜୀବଗଲେ ଯାଉ ମୋର ଯୋଡ଼ହାତେ ତୋହ ଗୁଣ ଭାବୁଭାବୁ ହେ |୨| ଦୁଃଖରାତି କେତେ ବିତାଇଛି ମୁହିଁ ତୋହରି ପ୍ରସାଦେ ଧୈର୍ଯ୍ୟ ଅଛି ରହି ଆଉ ଥରେ ଆଡ଼ନେତ୍ରେ ଦେଲେ ଚାହିଁ ସରିବ କାମନା ସବୁ ହେ |୩| --୦୦୦୦-- ୧୨୯. ଚାଲ ଗୋ ସଜନୀ ବୃନ୍ଦାବନ ଧାମକୁ ଚାଲ ଗୋ ସଜନୀ ବୃନ୍ଦାବନ ଧାମକୁ ରାଈ ରାସେଶ୍ୱର ଲୀଳା ଦେଖିବା, ସେ ତ୍ରୀଭଙ୍ଗ ଠାଣି ମନ ନେବ କିଣି ତା କୋମଳ ବାଣୀ ଶୁଣି ପ୍ରେମ ପଙ୍କେ ଲାଖିବା ||ପଦ|| ତୋଳି ସଜ ଫୁଲ ଗୁନ୍ଥ ଗୋ ସକଳ କୃଷ୍ଣଗଳେ ମାଳ ଦେଇ ହେବା ଭୋଳ ରାଧାଙ୍କୁ କରିଣ ବେଶ ବେଢ଼ିଥିବା ଚଉପାଶ ଆଜି ଶୁଭ ଅଧିବାସେ କେଳିକୁଞ୍ଜ ସାଜିବା |୧| ସେବାଦ୍ରବ୍ୟ ଯେତେ ରଖ ଗୋ ଏକତ୍ରେ କର୍ପୂର ଚନ୍ଦନ ଅତର ସହିତେ ବାନ୍ଧିବା ଗୋ ରାସବେଦୀ ପୂର୍ବରୁ ଅଛି ଯେ ବିଧି କରି ମନ୍ତ୍ରଯନ୍ତ୍ରସିଦ୍ଧି ମନ ସୁଖେ ଲେଖିବା |୨| ଯେ ଦ୍ୱାଦଶ ବାଦ୍ୟ ଅଟେ ଶଦ୍ଦଭେଦ ଶ୍ରୁତିରେ ଭେଦିଲେ ହେବା ଗୋ ଆନନ୍ଦ ମିଳି ସର୍ବ ଗୋପବାଳୀ ନାଚିବା ଗୋ ଢ଼ଳି ଢ଼ଳି ନିଷ୍କାମ ପ୍ରେମ-ଭକତି ମହାନିତ୍ୟେ ଶିଖିବା |୩| ଛନ୍ଦାପଦେ ଧ୍ୟାନ ଲଗାଅ ବହନ ଦେଖିବା ଗୋ କାଲି ଯୁଗଳମିଳନ ବଇକୁଣ୍ଠ ଗିର ହେବା ଗୋ କିଙ୍କର ରାସସ୍ଥଳୀ ଧୂଳି ଆଣି ସର୍ବଙ୍ଗରେ ମାଖିବା |୪| --୦୦୦୦-- ୧୩୦. ଚାଲ ବୃନ୍ଦାବନକୁ ଯିବା ସଜନୀ ଚାଲ ବୃନ୍ଦାବନକୁ ଯିବା ସଜନୀ ସୁଖେ ପୁହାଇବା ଏ ଶୁଭ ରଜନୀ ସକଳ ଧନ୍ଦା ତେଜି କୃଷ୍ଣ ନାମକୁ ହେଜି ବିଷୟକୁ ବରଜି ତା ପ୍ରେମେ ଯିବା ମଜି ଯେପରି ତା’ ମରଜି କରୁ ହୋଇବା ରାଜି ସେହି ହରି ପରା ଏ ପିଣ୍ଡ କାରେଣୀ |୧| ଆସ ସରବେ ମିଳି ନିକୁଞ୍ଜେ ଯିବା ଚଳି ଦେଇଣ ପୁଷ୍ପାଞ୍ଜଳି ଭେଟିବା ବନମାଳୀ ଗଳାରେ ଦେଇମାଳି ହୋଇବା ନିଉଛାଳି ଛନ୍ଦାପଦେ ବନ୍ଦିବା କରି ଦଇନି |୨| ଦେଖି ଆମ୍ଭଙ୍କୁ ହସି ଆନନ୍ଦେ କଳାଶଶୀ ବାଇ ମୋହନ ବଂଶୀ ନେବେ ମନ ଆକର୍ଷି ତାଙ୍କ ସଙ୍ଗତେ ମିଶି ସାରିଦେବା ଏ ନିଶି ରସି ରାସେ ହେବା ରସିକା ଅଗ୍ରଣୀ |୩| ରାଧାଙ୍କୁ କରି ବେଶ ବେଢ଼ିବା ଚଉପାଶ ମଧ୍ୟରେ ପୀତବାସ ଦିଶୁଥିବେ ସରସ ବଚନାମୃତ ଗ୍ରାସ- କରି ହୋଇବା ତୋଷ ହରସରେ ନାଚିବା ସର୍ବ କାମିନୀ |୪| କୃଷ୍ଣ ଶ୍ରୀମୁଖ ଚାହିଁ କଳ୍ମଷ ଦେବା ଧୋଇ ଲାଜ ବ୍ୟାଜକୁ ସହୀ ହୃଦୁ ଦେବା ଲିଭାଇ ବଇକୁଣ୍ଠିଆ କହି ଚିତ୍ତୁଁ ତେଜିବା ନାହିଁ ହୁଳହୁଳି ଦିଅ ଗୋ ଇନ୍ଦୁବଦନୀ |୫| --୦୦୦୦-- ୧୩୧. ଚାଲ ଯିବା ନିତ୍ୟସ୍ଥଳ ଦେଖି ଚାଲ ଯିବା ନିତ୍ୟ ସ୍ଥଳ ଦେଖି ଗୋ, ପ୍ରିୟସଖୀ ||ପଦ|| ପାଞ୍ଚମନ କରି ଏକ ଅମନେ ଭରିଣ ରଖ ପଚିଶ ପ୍ରକୃତି ଆଦି ବାନ୍ଧି ପ୍ରଥମେ ଦର୍ଶନ କର ଇନ୍ଦୁର ବାହାନ ଯା’ର ସେବାରେ ଅଛନ୍ତି ବକ୍ରତୁଣ୍ଡୀ ଗୋ |୧| ତହିଁପରେ ଅଟେ ସ୍ଥିତି କାମ ନାମେଣ ପ୍ରବୃତ୍ତି ନେତ୍ରେ ଦେଖ ସାବିତ୍ରୀଙ୍କ ପତି, ହୃଦୟେ ତୋ କର ସ୍ଥିର କମଳନେତ୍ରେ ବିହାର ମାତାରୂପେ ଦେଖ ଆଦିଶକ୍ତି ଗୋ |୨| ସହଜ ନୁହେଁ ସେ ପଥ ପାବଚ୍ଛ ଯେ ବେଦମାତ ଶରଣ ପଶି ତୁ ମାଗ ବର, ବାଜୁଛି ଦ୍ୱାଦଶ ବାଦ୍ୟ ମନ ହୋଇବ ଆନନ୍ଦ ସଖୀସଙ୍ଗେ ରହିବୁ ସେବାର ଗୋ |୩| ଓଲଟ କଦମ୍ବ ମୂଳେ ବିଜୟ କିଶୋରୀ ମେଳେ ଲକ୍ଷେ ଚନ୍ଦ୍ର ଜିଣି ଦିଶେ ଶୋଭା, ମୁରଲୀ ଶୁଣି କର୍ଣ୍ଣର ନିଶ୍ଚୟ ହେବା ଅମର ଜନ୍ମେ ଜନ୍ମେ ପାସୋରି ନ ହେବା ଗୋ |୪| ପଶିଲେ ଯାଇ ମିଶିବା ଆଉ ଫେରି ନ ଆସିବା ଅବାରଣ ଭୁଇଁରୁ ତାଙ୍କରି ତ୍ରିବେଣୀ ତୁଠ ଠାବରେ ତହିଁ ସ୍ନାନ କରି ଥରେ ତରିବ କି ବଇ ବ୍ରହ୍ମଚାରୀ |୫| --୦୦୦୦-- ୧୩୨. ଚାହାଁ ଲୋ ସଜନୀ ନିକୁଞ୍ଜବନ ନିପଟକାଳିଆକୁ ଚାହାଁ ଲୋ ସଜନୀ ନିକୁଞ୍ଜବନ ନିପଟକାଳିଆକୁ ନବୀନ ସୁନ୍ଦର ତନୁ ମନୋହର ମୟୁରଚୂଳିଆକୁ ||ପଦ|| ପାଦେ ରୁଣୁଝୁଣୁ ନୂପୁର ବାଜେ, ଅଧରେ ମୋହନ ମୁରଲୀ ସାଜେ, କଟିଦେଶେ ପୁଣି କିଙ୍କିଣୀ ବିରାଜେ ଯମୁନାକୂଳିଆକୁ |୧| ବନଫୁଲମାଳ ଲୋଟିଛି ଗଳେ ଗଣ୍ଡରେ ମକରକୁଣ୍ଡଳ ଖେଳେ ଢ଼ଳି ଢ଼ଳି ନାଚେ ଗୋପ ପୁଅ ମେଳେ କଦମ୍ବମୂଳିଆକୁ |୨| ମୃଦୁହାସେ ଭାଷା କହଇ ଯେବେ ପତିବ୍ରତା ଦମ୍ଭ ଭାଙ୍ଗଇ ତେବେ ମନପ୍ରାଣ ସତୀ ସମରପି ଦେବେ ବରଜଧୂଳିଆକୁ |୩| ଥରେ ଯେ ଦେଖିବ ତା ରୂପ ମିତ ଜନମ ଜୀବନ ହେବ ପବିତ୍ର ବଇକୁଣ୍ଠ ଚିନ୍ତେ କରନ୍ତା କି ମୋତେ ତା ପଦ ତଳିଆକୁ |୪| --୦୦୦୦-- ୧୩୩. ଚାହିଁବ ଯେ ଶ୍ୟାମଶୋଭା ନେତ୍ରରେ ଚାହିଁବ ଯେ ଶ୍ୟାମଶୋଭା ନେତ୍ରରେ ଗୋ ଚହଲି ଯିବ ତା ଚିତ୍ତ ସତରେ ଗୋ |୦| ଧନ୍ୟ ସେହି ବିନ୍ଧାଣୀ ବିଚିତ୍ର ତା କରଣି ଗଢ଼ିଲା ସେ ଲୋଡ଼ି ଯାହା ମର୍ତ୍ତ୍ୟରେ ଗୋ ନବଘନ ଶ୍ୟାମଳ ତନୁକାନ୍ତି କୋମଳ କଳନା କରିବ କେ ଅନ୍ତରେ ଗୋ |୧| ରଙ୍ଗ ଅଧରେ ଧରି ଫୁଙ୍କିଦେଲେ ବାଂଶୋରୀ ନ ଶୁଣିବ କେ ଶ୍ରୁତିପଥରେ ଗୋ ବିରହଣୀ ଜନଙ୍କ ହୃଦୟବିଦାରକ ବୁଡ଼ାଇଦେବ ବେଦ ବ୍ରତରେ ଗୋ |୨| ଧୃତିହରା ଏ ମୂର୍ତ୍ତି ନାହିଁ ନ ଥିବ କ୍ଷିତି ନାରୀ ମରିବେ ହନ୍ତସନ୍ତରେ ଗୋ ଦେଖି କାହାର ମତି ନ ହୋଇବ କରତି ରତି ଇଚ୍ଛିବେ ସତୀମାତରେ ଗୋ |୩| ମୟୂର ପୁଚ୍ଛ ବେଢ଼ା ମନଭୁଲାଣ ଆଡ଼ା ବାଙ୍କପିଛଡ଼ା ପ୍ରେମମନ୍ତରେ ଗୋ ବଇକୁଣ୍ଠର ଚିତ୍ତ ବାଞ୍ଛିତ ଦଇବତ ସୁମରୁଥିବି ଦିବାରାତ୍ରରେ ଗୋ |୪| --୦୦୦୦-- ୧୩୪. ଛନ୍ଦାଚରଣ ଫନ୍ଦା କରିଣ ମୁଁ ଛନ୍ଦାଚରଣ ଫନ୍ଦା କରିଣ ମୁଁ ଧନ୍ଦା ମେଣ୍ଟଣ ନୋହୁଛି ମୋର, ଅନ୍ଧପରି କେତେ ଅନ୍ଧାରେ ଘୂରାଇ କନ୍ଦାଇବ କୁହ ନନ୍ଦକୁମର |୦| ବନ୍ଧାଦେଇ ପିଣ୍ଡ ପରାଣ ସର୍ବସ୍ୱ ଶ୍ୱାସ ଥିବାଯାଏ ରଖିଛି ବିଶ୍ୱାସ, ନିଃସ୍ୱ ହେବି ପଛେ ନ ହେବି ନିରାଶ, ଯା ହୋଇବ ହେଉ ଶେଷ ବିଚାର |୧| ଧନୀ, ଜ୍ଞାନୀ, ମାନୀ ହେବା ପାଇଁ ପୁଣି କରୁନାହିଁ ପ୍ରଭୁ ଛାମୁରେ ମାଗୁଣି, ତବ ଇଚ୍ଛା ଯାହା ମୋର ଶ୍ରେୟଃ ତାହା ପାଦତଳେ ରାହା ଚାହେଁ ମାତର |୨| ଭକତ ହେବାର ନାହିଁ ତ କ୍ଷମତା ଜାଣେ ତୁମ୍ଭେ ତିନିଭୁବନ କରତା, ସେଥିଲାଗି ମନେ ମନେ କରେ ଚିନ୍ତା, ହେବାକୁ ଏ ଭବବନ୍ଧନୁ ପାର |୩| କହିଛି ତ ଦିନେ ତୁମ୍ଭ ତହୁଁ ଆନେ ଶରଣରକ୍ଷଣ କେହିନାହିଁ ଜଣେ ବଇକୁଣ୍ଠ ଭଣେ ଚାହିଁଦେଲେ କ୍ଷଣେ, କି କରିବେ ଛାର କାଳକିଙ୍କର |୪| --୦୦୦୦-- ୧୩୫. ଛନ୍ଦାଚରଣ ଯା ଇଚ୍ଛା କର ଛନ୍ଦାଚରଣ ଯା ଇଚ୍ଛା କର ବନ୍ଧା ଦେଇଛି ଜୀବନ ମୋର |୦| ଯେତେ ଦୁଃଖ ଅଛି ଏହି ଭବେ ଦେଇ ଆନନ୍ଦ ଲଭିବ ଯେବେ, ସବୁ ଲଦିଦିଅ ମୋର ଶିର |୧| ଯେତେ କନ୍ଦାଇବାରେ ତୋ ମନ ତେତେ କନ୍ଦାଅ ହେ ଭଗବାନ, ଫନ୍ଦା ତୋ ନାମ ମୋ ନିରନ୍ତର |୨| ମାରିଦେଲେ ପଛେ ମାରିଦିଅ ସେ ନିମନ୍ତେ ତିଳେ ନାହିଁ ଭୟ, ଲୟ ରହୁ ତୋ’ର ରୂପେ ସ୍ଥିର |୩| ସବୁ ତୋହରି କରୁଣା ଭାବି କେବେ ହେଲେ ବିମୁଖ ନୋହିବି, ରବିତେଜେ ରହେ କି ଅନ୍ଧାର ? |୪| ବଇକୁଣ୍ଠର ଧାରଣା ଏହା ଏତ ଅଟେ ତୋ ଭେଳିକି ମାୟା, ରାହା ନାହିଁ ଆଉ କାହିଁ ତାର |୫| --୦୦୦୦-- ୧୩୬. ଛନ୍ଦା ପଦାରବିନ୍ଦେ ସଦା ମତି ରହୁ ଛନ୍ଦା ପଦାରବିନ୍ଦେ ସଦା ମତି ରହୁ ରାଧେକୃଷ୍ଣ ରଟି ଜୀବ ଗତି ପାଉ |୦| |୧| ସେ ଚାରୁ ଚତୁରପାଦ ଯହୁଁ ଝରେ ମକରନ୍ଦ ମୋ ମନ ଭୃଙ୍ଗ ଆନନ୍ଦେ ତାହା ପିଉ | |୨| ସଂସାର ସାର ଶ୍ରୀମୂର୍ତ୍ତି ଶୋଭାରେ ମୋହେ ଧରିତ୍ରୀ ତା ପ୍ରୀତିଗୀତି ମୋ ତୁଣ୍ଡ ନିତି ଗାଉ | |୩| କୀଚକ ବଁଇଶୀନାଦ ଆହା କି ମଧୁର ସ୍ୱାଦ ସେ ରସଆସ୍ୱାଦ ଶ୍ରୁତି ଚୁମ୍ବୁଥାଉ | |୪| ବେନି ଅଙ୍ଗ ଏକ ସରି ଝଲକ ରୂପମାଧୁରୀ ସେ ମୋ ମନେ ଜ୍ଞାନେ ଧ୍ୟାନେ ଉଦେ ହେଉ | |୫| ବଇକୁଣ୍ଠ ବସି ଭାଳେ ପିଣ୍ଡୁ ପ୍ରାଣ ଯିବାବେଳେ ସେ ଯୁଗଳଛବି ଡ଼ୋଳେ ଦିଶିଯାଉ | --୦୦୦୦-- ୧୩୭. ଛାଡ଼ ବାଟ ନନ୍ଦ ଚାଟ ଯିବି ଯମୁନା ଛାଡ଼ ବାଟ ନନ୍ଦ ଚାଟ ଯିବି ଯମୁନା, ହେ କାହ୍ନା ଯିବି ଯମୁନା ହଟହଟା କରି ଏତେ ହଟ ସାଧନା... ମୋ ସଙ୍ଗେ ହଟ ସାଧନା |୦| ପରଘର ଭୁଆସୁଣୀ ନ ଜାଣ କି ବେଣୁପାଣି କିପାଁ ସବୁଜାଣି ଶୁଣି ହୁଅ ଅଜଣା, ହେ କାହ୍ନୁ ହୁଅ ଅଜଣା ବଜା ନା ଗୋପରେ ଆଉ ନିନ୍ଦାବାଜଣା |୧| ସହଜେ ଅବଳା ମୁହିଁ ସାଥେ ମୋର ସଖୀ ନାହିଁ କହୁଛି ଥରେ କହ୍ନାଇ ମାନ ମୋ ମନା, ହେ କାହ୍ନା ମାନ ମୋ ମନା ନଟନାଗର ମୋ ସଙ୍ଗେ ନାଟ ଲଗାନା |୨| ଆଗରୁ ତ କେତେଥର କରି ବହୁ ହରବର ଭରାନୀର କଳସୀ ମୋ କରିଛି ଚୂନା,ହେ କାହ୍ନା କରିଛି ଚୂନା ସେଦିନ ମୁଁ ସହିଅଛି ଯେତେ ଲାଞ୍ଛନା |୩| ଶୁଣଇ ଯେବେ ନଣନ୍ଦ ଝିଙ୍ଗାସି କହିବ ମନ୍ଦ ତୋ ଯୋଗୁ ଯମୁନା ଆଝୁଁ ହୋଇବ ମନା, ହେ ଆଝୁଁ ହୋଇବ ମନା କହେ ବୈକୁଣ୍ଠ ରାଈକୁ ଦ୍ୱନ୍ଦେ ପକାନା ହେ ତାକୁ ଦ୍ୱନ୍ଦେ ପକାନା |୪| --୦୦୦୦-- ନିତି ରାମନାମ ଗାଆରେ ପରାଣ ନିତି ରାମନାମ ଗାଆ ଏ ଭବସଂସାର ହେବା ପାଇଁ ପାର ସେ ନାମକୁ କର ନାଆ ରେ ପରାଣ ନିତି ରାମନାମ ଗାଆ |୦| କର୍ଣ୍ଣଧାର ଗୁରୁ କେଶବଙ୍କୁ ଦୁରୁ ପ୍ରଣିପାତ କରୁଥାଆ ଅନୁକୁଳ ବାୟୂ ବୁହାଇଲେ ସେହୁ ସେ ପାରେ ପାଇବୁ ରାହା ରେ ପରାଣ ନିତି ରାମନାମ ଗାଆ |୧| ଶ୍ରୀ ଗୁରୁ ଗୋବିନ୍ଦେ ସୁମରି ଆନନ୍ଦେ ମନ୍ଦେ ମନ୍ଦେ ନାବ ବାହା କୃଷ୍ଣମନ୍ତ୍ର ଇଷ୍ଟ, କଣ୍ଠତଟେ ରଟ ସେହି ଏକା ତୋର ସାହା ରେ ପରାଣ ନିତି ରାମନାମ ଗାଆ |୨| ସେ ନବରଙ୍ଗିଆ, ତ୍ରିଭଙ୍ଗ ଭଙ୍ଗିଆ ରୁପକୁ ଅନ୍ତରେ ଧ୍ୟାଆ କହେ ବଇ୍କୁଣ୍ଠ ରିଷ୍ଟ ହେବ ନଷ୍ଟ ସ୍ପଷ୍ଟ ଏହା ଜାଣିଥାଆ ରେ ପରାଣ ନିତି ରାମନାମ ଗାଆ |୩| --୦୦୦୦-- ନିତ୍ୟକୁଞ୍ଜ ବିଳାସିନୀ ନିତ୍ୟକୁଞ୍ଜ ବିଳାସିନୀ ଗୋ ରାଧେ ଶ୍ରୀକୃଷ୍ଣ ମୋହିନୀ ରାଧେ ହୋଇଣ ଜୁହାରି କରୁଛି ଗୁହାରି ଶୁଣ ନିବେଦନ ବାଣୀ ଗୋ କିଞ୍ଚିତ ମାତ୍ର ମାଗୁଣୀ |୦| ତବ ଦରଶନ ବାଞ୍ଛା କରି ମନ ପ୍ରବେଶିଲି ବୃନ୍ଦାବନ ଯୁଗଳ ଚରଣ ନିରେଖି ନୟନ ପବିତ୍ର କରିଲି ପ୍ରାଣ ସରିଲା କାମନା କଳ୍ପନା ବାସନା କହେ କରଯୋଡି ପୁଣି ଗୋ ରାଧେ ରାଧେ ଶ୍ରୀକୃଷ୍ଣ ମନମୋହିନୀ |୧| ବହୁ ବିପତ୍ତିରୁ ଉଦ୍ଧାରିଣ ଚାରୁ ଚରଣେ ଦିଅ ଶରଣ ସକଳ ବଡିମା ଗରବ ଗାରିମା ମୁହୁର୍ତ୍ତକେ କର ଚୁର୍ଣ୍ଣ ବିନା ତୋ କୃପାରେ ଭବ ପାରାବାରେ ହୋଇପାରେ କେ ଅଗ୍ରଣୀ ଗୋ ରାଧେ ରାଧେ ଶ୍ରୀକୃଷ୍ଣ ମନମୋହିନୀ |୧| ପଥ ବହୁ ଦୁର ବେଳ ନାହିଁ ଆର ଆୟୁଷ ଆସୁଛି ସରି ଆଉ କି ଆସିବି ନ ପାରୁଛି ଭାବି ସାହସ ନାହିଁ ମୋହରି ଯହିଁ ତହିଁ ଥିଲେ ଚିତ୍ତରେ ଚିନ୍ତିଲେ ଦିଶିଯିନ ବେନି ପ୍ରାଣୀ ଗୋ ରାଧେ ଏତିକି ମୋର ଦୟିନୀ |୧| କାନ୍ତାକାନ୍ତ ମିଶି ମୋ ହୃଦେ ପ୍ରବେଶି ବାଇବ ବଂଶୀ ମଧୁରେ ଅନ୍ତିମ ବେଳରେ ଶୁଣି ଶ୍ରୁତିଦ୍ୱାରେ ଚାଲିଯିବି ଆରପାରେ ବଇ୍କୁଣ୍ଠ କହି ମାଆ ଦୟାମୟୀ କେବେ ନୋହିବ ପାଷାଣୀ’ ଗୋ ରାଧେ ରାଧେ ଶ୍ରୀକୃଷ୍ଣ ମନମୋହିନୀ |୧| --୦୦୦୦-- ନୁଆ ନାଟୁଆ ନବଘନ ମୂରତି ନୁଆ ନାଟୁଆ ନବଘନ ମୂରତି ଦିନରାତି ବିତୁ ଚିନ୍ତି ତୋ କୀରତି ତ୍ରିଭଙ୍ଗୀଠାଣି ତୋର ନାଚୁ ନୟନେ ମୋର ପାଦ ନୁପୁର ଝଙ୍କାର ଚୁମ୍ବୁ ମୋ ଶ୍ରୁତି ନିତି ତୋ ନାମ ଗାଇ ତୋ ପ୍ରେମେ ହେବି ବାଇ ରାଈ-ରାଣୀଙ୍କ କୃପା ଥାଉ ମୋ ପ୍ରତି ନାଚି ତୁମରି ଛନ୍ଦେ କାଳ କଟୁ ଆନନ୍ଦେ ଆନ ଆନ ଭାବ ନଭାବୁ ମୋ ମତି କହି ରାଧା ମାଧବ ଚାଲିଯାଉ ମୋ ଜୀବ ବଇିକୁଣ୍ଠକୁ ଦ୍ୱନ୍ଦୁ ମିଳୁ ମୂକତି ପତିତତାରଣ ନାମ ଯେଉଁ ଦିନରୁ ଶୁଣିଛି ପତିତତାରଣ ନାମ ଯେଉଁ ଦିନରୁ ଶୁଣିଛି ସେ କାଳୁ ନିଜକୁ ନିଜେ ପାତକୀରେ ମୁଁ ଗଣିଛି ଅନାଥର ନାଥ ବୋଲି ଯୁଗେ ଯୁଗେ ପଡେ ହରି ନିଶ୍ଚୟ ମୋତେ ଉଦ୍ଧରି ଧରିବେ ବୋଲି ଜାଣିଛି |୧| ଥରେ ଯା ନାମରେ ଲୟ କରି ପାପୀ ପାଏ ଜୟ ସେ ମୋତେ ଦେବେ ଅଭୟ ମନତ ମୋର ମାନିଛି |୨| ତାଙ୍କରି ପାଦେ ଶରଣ ନେଲେ କେବି ପରିତ୍ରାଣ ଏହି କଥା ବିଚାରିଣ ସନ୍ଦେହ ପୋଛିଦେଇଛି |୩| ସେହି ମୋର ପିତାମାତା ସହାୟ ଆଶ୍ରୟଦାତା ବୈକୁଣ୍ଠ ଇଷ୍ଟ ଦେବତା ଭାବି ନିଶ୍ଚିନ୍ତେ ରହିଛି |୪| --୦୦୦୦-- ପଥର ଦେଉଳ ଭିତର ଦେବତା ପଥର ଦେଉଳ ଭିତର ଦେବତା ପଥର ହେଲ କି ମୋ ପାଇଁ ସତରେ କହୁଛି କାତରରେ ଯେବେ ଉତ୍ତର ନ ଦେବ ଗୋସାଇଁ ନାଥ ହେ, ଅନାଥ ଯେବେ ମୁଁ ହୋଇବି ଜନସମାଜରେ ଜଗନ୍ନାଥ ନାମ କେଉଁ ଲାଜେ ମୁଖେ ଗାଇବି |୧| ପାଷାଣ ପରାଏ କଠିନ ହୃଦୟ କରି ଯେବେ ତୁମ୍ଭେ ବସିବ କଷଣ ଦେଇ ଏ ପରପଞ୍ଚ ଦୁଃଖ – ରାହୁ ଆସି ମୋତେ ଗ୍ରାସିବ ନାଥ ହେ, ଏହା କି ସୁନ୍ଦର ଦିଶିବ ଭକତରକ୍ଷଣ ବଦଳରେ ଭକ୍ତ- ମଲା ସାରା ସୃଷ୍ଟି ଘୋଷିବ |୨| ଅଶରଣ ଜନେ ଶରଣ ଦେବାକୁ ଉଡାଇଛ ଦୀର୍ଘ ପତାକା ବଳାଇଯିବ କି ମୋର ଏ ଦୁର୍ଦ୍ଦଶା ସେ ପାଇଁ ହେଉଛ ତାଟକା ନାଥ ହେ, ଚକ୍ରକୁ ନିଅଣ୍ଟ ତା ବଳ ଆପଣ ମୋ ପାଇଁ ନ ଆସନ୍ତୁ ଧାଇଁ ବସିଥାନ୍ତୁ ହୋଇ ଅଚଳ |୩| ଫଟା କପାଳକୁ ଯେବେ ମୋ ବେଳକୁ ଚକ୍ରବକ୍ର ହେଲା କୁହ ତ କେତେ କାଳେ ବଳେ ସଳଖ ହୋଇବ ଚେତାଇ ଅଭୟ ଦିଅ ତ ନାଥ ହେ, ସେ ବେଳକୁ ଚାହିଁ ବସିବି କହେ ବଇକୁଣ୍ଠ ଚକ୍ର ସହ ଈଷ୍ଟ ଚକ୍ରଧର ଉଚ୍ଚେ ରଟିବି |୪| --୦୦୦୦-- ପରମାଦ ହେଲା ସାର ଗୋ ବଉଳ ପରମାଦ ହେଲା ସାର ଗୋ ବଉଳ ପରମାଦ ହେଲା ସାର ପାଗଳା ମନକୁ ଯେତେ ବୋଧ ଦେଲି ନ ମାନିଲା ବୋଲ ମୋର ଗୋ |ପଦ| ପରମାନନ୍ଦ ଫାନ୍ଦେ ପଡିବାକୁ ମନାକଲି ବାରବାର ପବନହୁଁ ବେଗ ହୋଇ ସେ ଚଳୁଛି ବେଳ ତ ନୁହଇଁ ସ୍ଥିର |୧| ପ୍ରବେଶି ଗଗନ-ଗୁମ୍ଫାରେ ବହନ ଶୁଣିଲା ଅବା କି ସ୍ୱର ପରପଞ୍ଚ ନିଶା ଖାଇଣ ସହସା ଛାଡିଲା ଲୋକ ବେଭାର |୨| ପାଞ୍ଚ ପଚିଶରେ ଗଞ୍ଜଣା ହେବାରେ ହେଲିଣି ମୁହିଁ କାତର ପୁଣି ତାର ସ୍ମୃତି ଜାଗେ ଅନହୁତି ଛାତି କମ୍ପେ ଥରହର |୩| ପବିତ୍ରତା ଫଳ ଜାତି ଗୋତ୍ର କୁଳ ସବୁ ତ କଲିଣି ଦୁର ପରବଶ ମନ କରି ରାତ୍ରଦିନ ଥିବା ନ ଯୋଗାଏ ଘର |୪| ପୋଡୁତା ପୀରତି ଉଡୁଛି ଯା କୀର୍ତ୍ତି ଧ୍ୱଜା ଏହି ତିନିପୁର ପରଶଂସା ରସା ମଧ୍ୟରେ ନ ଥାନ୍ତା ପ୍ରେମ ହୋନ୍ତା ଦେଶାନ୍ତର |୫| ପରକୀୟା ଯାର ନାମଟି ପ୍ରଚାର ସେ କି ହେବ ଆପଣାର ପାଇ ବଇକୁଣ୍ଠ ହୋଇଛି ତ ନଷ୍ଟ ବୁଲୁଛି ବାର ଦୁଆର |୬| --୦୦୦୦-- ପାଇବାକୁ ତୁମ ଦେଖା ନିତି ଚାହିଁବସେ ଏକା ପାଇବାକୁ ତୁମ ଦେଖା ନିତି ଚାହିଁବସେ ଏକା ଦିଶି ଦିଶି ଚାଲିଯାଅ କାହିଁ ଯାଅ ଚାଲି ବହୁ ଦୁରେ ଡାକେ ମୁଁ ଅତି କାତରେ ପାଶେ ମୋର ଦଣ୍ଡେ ରୁହନାହିଁ |୦| ପଚାରନ୍ତେ ପଦେ ଗୀର ଇଙ୍ଗିତେ ଦିଅ ଉତ୍ତର ତହିଁରୁ ମୁଁ କିଛି ବୁଝେ ନାହିଁ, ପଲକେ ମୋତେ ଅନାଇ ଯାଅ ତ କେଣେ ଉଭାଇ ଖୋଜି ଖୋଜି ଆଉ ପାଏ ନାହିଁ |୧| ଭରା ଅଭିମାନେ ବସି କହେ ଯେତେ ରୋଷେ ରୁଷି ହସି ହସି ସବୁ ଯାଅ ସହି, ଯେବେ ମୋର ଅଜଣାରେ ମୋ ଆଖିରୁ ନୀର ଝରେ ତୁମେ ପ୍ରିୟ କି ତା ଜାଣ ନାହିଁ |୨| ଦଣ୍ଡେ ନ ଦେଇଣ ଧରା ଠାର ଏ କି ନେତ୍ରଠରା କୁହ ଏତେ ଛଳ କାହିଁପାଇଁ, ଏ ଦୀନ ବଇକୁଣ୍ଠରେ ଠକୁଛ କିଆଁ ଠାକୁରେ ଠିକଣା କଥାକୁ ନ ବୁଝାଇ |୩| --୦୦୦୦-- ପାଗଳ ମନ, ଭଜ ଗୋପାଳନାମ ଏଣିକି ପାଗଳ ମନ, ଭଜ ଗୋପାଳନାମ ଏଣିକି ଅଳପକେ କାଳକୁ ଯିବୁ ଜିଣିକି ରେ ଜିଣିକି |୦| ଅଳପ ଦିନ ପାଇଁ ତୁ ଆସିଥିଲୁ ଏ ଭବେ କୋଟି କଳପଣା କରି ମାତିଲୁ ମତ୍ତ ଗର୍ବେ ଛଳ ଛନ୍ଦ କପଟ ମୋହେ ହୋଇଲୁ ନଷ୍ଟ ବେଳ ହେଲା ନିକଟ ସରିଯିବ ତୋ ହାଟ କି ରଖି ଯିବୁ ଏଥେ ପୁଣିକିରେ ପୁଣିକି |୧| ସଳଖ ବାଟ ଛାଡିଣ ମାଡିଗଲୁ ଅମଡା ବୁଝି ନ ବୁଝିଲୁ ସେ ତ ଅଟେ ବଡ ଖସଡା ନ ଜାଣିଣ ମରମ ମତି କଲୁ ଭରମ କଲୁ ଯେତେ କରମ କଡା ମାତ୍ରକୁ ସମ ନ ହୋଇବ ରଖିଥା ଜାଣିକିରେ ଜାଣିକି |୨| ଯାହା ହେବାର ହେଲାଣି ନ ଭାବ ଗତ କଥା ହାଲକୁ ବେହାଲ ନ ହୋଇବୁ କର ବ୍ୟବସ୍ଥା ଛାଡି ସକଳ ବାଟ ରଟ ଶ୍ରୀ ରାଧେକୃଷ୍ଣ ବୋଲଇ ବଇକୁଣ୍ଠ ମାୟା ମମତା କାଟ ଚିନ୍ତ ସେ ତ୍ରିଭଙ୍ଗିମ ଠାଣିକି ରେ ଠାଣିକି |୩| --୦୦୦୦-- ପାସୋର ଯାଉନାହିଁ ଲୋ ସଜନୀ ପାସୋର ଯାଉନାହିଁ ଲୋ ସଜନୀ ଭୁଲି ତ ହେଉନାହିଁ ଲୋ ସଜନୀ ସେ କହ୍ନାଇ କୀରତି ସୁମରି ସାରା ରାତି ତିଳେ ନୟନେ ନିଦ ନାହିଁ ଲୋ |୦| ଗୋପେ ଗୋ ଯେତେ ଲୀଳା କରିଲେ ନନ୍ଦବଳା କହିଲେ ସରିବ ତ ନାହିଁ ଗୋପାଳ ପୁଅ ସଙ୍ଗେ ଢଳି ନାଚିବା ରଙ୍ଗେ ଛିଡା ତ୍ରିଭଙ୍ଗେ ଭଙ୍ଗେ ଦେଖିଲେ ନେତ୍ରଯୁଗେ କିଏ ନ ହେବ ମୋହି ଲୋ ସଜନୀ |୧| ଦିନେ ଗୋ ବାଳକାଳେ ମାଟି ଭକ୍ଷିବା ବେଳେ ମାତା ଧଇଲେ ଚାଣ୍ଡେ ଧାଇଁ ମେଲାଇ ଦ୍ୟନ୍ତେ ପାଟି ବ୍ରହ୍ମାଣ୍ଡ ଅଛି ଘୋଟି ଜାଣି ଯଶୋଦା ଉଠି ବୁଝିଲେ ନିଜ ତ୍ରୁଟି ଆଉ ଦଣ୍ଡିଲେ ନାହିଁ ଲୋ ସଜନୀ |୨| ପାଇ ରାଜା ଆଦେଶ ପ୍ରସନ୍ନେ ପୀତବାସ ପଦ୍ମ ତୋଳିଲେ ବନେ ଯାଇ କୋପେ କାଳୀୟ ଫଣୀ ପାଦେ ଦଂଶିଲା ଜାଣି ବିଷରେ ବଂଶୀପାଣି ଢଳି ପଡିଲେ ପୁଣି ବିଷ ଘାରିଲା ନାହିଁ ଲୋ ସଜନୀ |୩| ଆବର କଥା ଶୁଣ ଇନ୍ଦ୍ରର ବଡପଣ ଏଡାଇ ଦେଇଥିଲେ ସେହି ଟେକିଣ ଗିରିବର ରଖିଲେ ଗୋପପୁର ହାରିଲା ସୁନାଶିର ପାଦେ କଲା ଜୁହାର ଏବେ ମରିବେ ଗୋଈ ଲୋ ସଜନୀ |୪| ମଉଳା କଂସ ରାଟ ମନେ ବହି କପଟ ଆକଟେ ନେଲାଟି ଡକାଇ, ଚାରି ଦିନକୁ କଣ୍ଟ କରିଗଲେ ଶ୍ରୀକୃଷ୍ଣ ଗୋପୀଏ ଛାଡି ହାଟ ଚାହିଁ ଅଛନ୍ତି ବାଟ ଆଉ ତ ଆସୁ ନାହିଁ ଲୋ ସଜନୀ |୫| --୦୦୦୦-- ପାସୋରି ଦେଲ ତ ହରି ଗରିବ କଥା ପାସୋରି ଦେଲ ତ ହରି ଗରିବ କଥା ଦିବାନିଶି ଗାଏ ବସି ତୁମରି ଗାଥା, ଗେହରି ତୁମରି ଗାଥା |୦| ଛାଡି ସକଳ ଭରସା ତୁମ ନାମ କଲି ଆଶ୍ରା ନ ରଖିଲେ ଆନ କେହି ନାହିଁ ରଖନ୍ତା |୧| ନୁହେଁ ବୋଲି ମୁଁ ଭକତ ଯେବେ କରିବ ଅନାଥ ଜଗତନାଥ ବୋଲି କେ କରିବ ଚିନ୍ତା |୨| ଆହେ ପତିତପାବନ ସମସ୍ତେ ପରା ସମାନ ମୋ ପାଇଁକି ତହୁଁ ଭିନ୍ନ ଅଛି ବ୍ୟବସ୍ଥା |୩| ହେଲେ ମୁଁ ପାପୀ ପାମର ତୁମ୍ଭେ ମୋ କ୍ଷମା ସାଗର କ୍ଷଣେ ଚାହିଁଦେଲେ ଦୁଃସ୍ଥ ସୁସ୍ଥ ରହନ୍ତା |୪| ଶୁଣ ଅଥବା ନ ଶୁଣ ଜଣାଇବା ମୋ ପ୍ରମାଣ କେ ଜାଣିବ ବଇକୁଣ୍ଠ ଅନ୍ତରବ୍ୟଥା |୫| --୦୦୦୦-- ପ୍ରଭୁ ! କି ଜଣାଣ ଜଣାଇବି ପ୍ରଭୁ ! କି ଜଣାଣ ଜଣାଇବି କେଉଁ କଥା ଅଜଣା ହେ କି ବ୍ୟଥା ବା ବଖାଣିବି ନ ଜାଣ କା ବେଦନା ହେ |୦| କେଉଁ ସଙ୍ଗିତ ଗାଇବି ତୁମ୍ଭେ ସଙ୍ଗୀତମୟ ହେ ଏ ବିଶ୍ୱ ବ୍ରହ୍ମାଣ୍ଡ ଗାଏ ତୁମ୍ଭ ସଙ୍ଗୀତ ଜୟ ହେ |୧| କେଉଁ ତାରେ ସୁର ଦେବି ତୁମ୍ଭେ ଜୀବନତାର ହେ କିବା ତାନେ ଲୟ ଦେବି ତୁମ୍ଭେ ଲୟରେ ସାର ହେ |୨| କି ଧ୍ୟାନ ଧାରଣା ମୁହିଁ କରିବି ବିଶ୍ୱରାଜ ହେ କେଉଁ ପୂଜାରେ ତୋଷିବି କୁହନି ବିଶ୍ୱପୁଜ୍ୟ ହେ |୩| ମୁହିଁ ତ ମୋହର ନୁହେଁ ତୁମ୍ଭରି ବଂଶୀଧାରୀ ହେ ଯାଉ ବଇକୁଣ୍ଠ ଜୀବ ତବ ନାମ ସୁମରି ହେ |୪| --୦୦୦୦-- ପ୍ରଭୁ ତବ ଯଶ ଗୁଣ ଯାହା ଶୁଣିଛି ମୋ କାନ ପ୍ରଭୁ ତବ ଯଶ ଗୁଣ ଯାହା ଶୁଣିଛି ମୋ କାନ ଦେଖିବାକୁ ପାଏନାତ ହେ ଆଖି ଏ ବେଳକୁ ଆହେ ହରି ସବୁ ଦେଇଛ କି ସାରି ଲେଶ ମାତ୍ର ନ ରଖିଛ ବାକୀ |୦| ପ୍ରଭୁ ହେ… କେବେ ବିପଦରେ ଗଜ ଡାକିଥିଲା ଦେବରାଜ ସଜହୋଇ ଗଲ ତା କତିକି ଚକ୍ରରେ କୁମ୍ଭୀର ହାଣି ହସ୍ତୀକୁ ରଖିଲ ପୁଣି ଏକାଳେ ସେ ମହିଁମା ନାହିଁ କି |୧| ହରି ହେ… ପୁଣି ଶୁଣିଥିଲି ଦିନେ ମୃଗୁଣି ତାରିଲ ବନେ ବ୍ୟାଧ ମଲା ଗୁଣେ ଶର ଯୋଖି ଏବେ ବିପଦରେ ପଡି ଭକତ ଛାଡିଲେ ରଡି କି କାରଣେ ଦେଉଅଛ ଫାଙ୍କି |୨| ପ୍ରଭୁ ହେ… ଆଜି ଏ ଧରଣି ତଳେ ଆରତେ ଅତି ଆକୁଳେ ତୁମ କୃପା ଚାହୁଁନାହାନ୍ତି କି, ସେ ପାଇଁ ହୁକୁମ ସବୁ କରିକି ଦେଇଛ କାବୁ ଏ ଯୁଗର ରୀତି ଗତି ଦେଖି |୩| ହରି ହେ… ନ ଶୁଣିବା ଇଛା ଯେବେ ମନାକରିଦିଅ ତେବେ କିଏ ଆଉ ଡାକିବ କାହିଁକି କହେ ହୀନ ବଇକୁଣ୍ଠ ଆଜୀବନ ଭୋଗୀକଷ୍ଟ କଣ୍ଠ ଶୁଖିଲାଣି ଡାକି ଡାକି |୪| ପ୍ରଭୁ ହେ…